Unknown

 

 

 

 

 

 

 

 

 

 

 

ନିଶୀଥ ସୂର୍ଯ୍ୟର ଦେଶ : ନରଓୟେ ଦେଶର ପିଲା

ଅଧିରାଜ ମୋହନ ସେନାପତି

 

ନିଶୀଥ ସୂର୍ଯ୍ୟର ଦେଶ : ନରଓୟେ ଦେଶର ପିଲା

Image

 

କାହ୍ନୁ ଓ ଜହ୍ନମାମୁଁ ଅନେକ ଦେଶ ବୁଲିଲେଣି, ଅନେକ କଥା ଜାଣିଲେଣି । ଏଥର ଆଉ ଗୋଟାଏ ଦେଶ ବୁଲିବାକୁ ଯିବେ ।

 

କାହ୍ନୁ ପଚାରିଲା–କେଉଁ ଦେଶକୁ ଯିବା, ମାମୁଁ ?

 

ଜହ୍ନମାମୁଁ କହିଲେ–ଏଥର ଆମେ ଗୋଟାଏ ପାହାଡ଼ିଆ ଦେଶକୁ ଯିବା । ଏ ଦେଶରେ ଅଧରାତିରେ ସୂର୍ଯ୍ୟ ଦେଖାଯାଏ ।

 

କାହ୍ନୁ–କ’ଣ କହୁଛ ମାମୁଁ ? ଅଧରାତିରେ ସୂର୍ଯ୍ୟ ଦେଖାଯାଏ !

 

ଜହ୍ନମାମୁଁ–ହଁ, ମୁଁ ଶୁଣିଛି । ସେ ଦେଶକୁ ଗଲେ କଥାଟା ଠିକ୍ କି ନା ଜଣାଯିବ ।

 

କାହ୍ନୁ ଜହ୍ନମାମୁଁ ଠେକୁଆ ପିଠିରେ ବସି ଉଡ଼ି ଉଡ଼ି ଉତ୍ତର–ପଶ୍ଚିମ ଦିଗକୁ ଗଲେ । ଗୋଟାଏ ଦେଶରେ ପହଞ୍ଚିଲେ । ଏ ଦେଶଟା ସମୁଦ୍ରକୂଳରେ । ଦେଶଟାଯାକ ପାହାଡ଼ ପର୍ବତ ପୂରିରହିଛି ।

 

କାହ୍ନୁ ପଚାରିଲା–ଏ ଦେଶର ନାମ କଅଣ ? ଏପରି ଦେଶ ମୁଁ କେବେ ଦେଖି ନାହିଁ ।

 

ଜହ୍ନମାମୁଁ–ଏ ଦେଶର ନାମ ନରଓୟେ ।

 

କାହ୍ନୁ–ମାମୁଁ ! ତମେ କହୁଥିଲ ପରା ଏ ଦେଶରେ ଆମେ ନିଶୀଥ ସୂର୍ଯ୍ୟ ଦେଖିବା । ଏଠାରେ ତ ଅନ୍ଧାର ହୋଇଛି, କୁଆଡ଼େ କିଛି ଦିଶୁ ନାହିଁ ।

 

ଜହ୍ନମାମୁଁ–ତେବେ ଚାଲ, ଏ ଦେଶର ଆହୁରି ଉତ୍ତରକୁ ଉଡ଼ି ଉଡ଼ି ଯିବା । ଦେଖିବା ସେଠାରେ ଆଲୁଅ ହୋଇଥିବ କି ଅନ୍ଧାର ହୋଇଥିବ ।

 

କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରେ ବସି ଆହୁରି ଉତ୍ତରକୁ ଉଡ଼ି ଉଡ଼ି ଗଲେ । କିଛିଦୂର ଯାଇ ଦେଖ‌ିଲେ ଆକାଶରେ ସୂର୍ଯ୍ୟ ଝଲକୁଛି ।

Image

ଏଠାରେ ଗ୍ରୀଷ୍ମକାଳ ପ୍ରାୟ ତିନିମାସ ରହେ । ଏହି ସମୟରେ ଆକାଶରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତି ନାହିଁ । ତେଣୁ ଏଠାରେ ତିନିମାସ କାଳ ଦିନ ରହିଥାଏ । ରାତି ଆଦୌ ହୁଏ ନାହିଁ । ଏଠିକାର ଲୋକମାନେ ଶୁଅନ୍ତି, ନିଦରୁ ଉଠନ୍ତି, କାମଦାମ କରନ୍ତି–ସବୁକାମ ଦିନର ଆଲୁଅରେ ହୁଏ । ସେମାନଙ୍କୁ ବତୀ ଜାଳିବାକୁ ହୁଏ ନାହିଁ ।

 

କାହ୍ନୁ କହିଲା–ମାମୁଁ ! ଏଠାରେ ଭାରୀ ଶୀତ । ଗୋଡ଼ ହାତ କାଲୁଆ ମାରି ଯାଉଛି । ଏଠାରେ ବେଶୀ ସମୟ ରହି ହେବ ନାହିଁ । ଚାଲ, ଏଠାରୁ ଫେରିଯିବା ।

 

ଜହ୍ନମାମୁଁ ଠେକୁଆର ଲାଞ୍ଜ ମୋଡ଼ିଦେଲେ । ଠେକୁଆ ଦକ୍ଷିଣ ଆଡ଼କୁ ମୁହଁ ବୁଲାଇ ଛିଡ଼ାହେଲା । କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରେ ବସି ତଳକୁ ଅନାଇ ଧୀରେ ଧୀରେ ଆକାଶରେ ଉଡ଼ି ଉଡ଼ି ଆସିଲେ ।

 

ଉପରୁ ଦେଖିଲେ ଉଚ୍ଚା ପାହାଡ଼ ସବୁ ଆକାଶକୁ ମୁଣ୍ଡ ଟେକିଥାନ୍ତି । ସେଗୁଡ଼ିକ ଉପରେ ବରଫ ପଡ଼ି ଧଳା ଦିଶୁଥାଏ । ତା’ ତଳକୁ ସବୁଜ ରଙ୍ଗର ଘାସ ପଡ଼ିଆ ଦେଖାଯାଉଥାଏ । ତା’ଭିତରେ କେତେଗୁଡ଼ିଏ କାଠର ଘର ଦେଖାଗଲା ।

 

କାହ୍ନୁ କହିଲା–ଦେଖଲ ମାମୁଁ ! ଘର ଦିଶିଲାଣି । ଏହିଠାରେ ଓହ୍ଲାଇବା ।

 

କାହ୍ନୁ ଓ ଜହ୍ନମାମୁଁ ଗୋଟାଏ ଘର ପାଖରେ ଓହ୍ଲାଇଲେ ।

 

ଘାସପଡ଼ିଆରେ ଗୋରୁ, ମେଣ୍ଢା, ଛେଳି ଓ ଘୁଷୁରି ପଲ ପଲ ହୋଇ ଚରୁଥାନ୍ତି ।

 

କାହ୍ନୁ ଓ ଜହ୍ନମାମୁଁ ଦେଖିଲେ ଦୁଇଜଣ ଲୋକ ଘାସ କାଟୁଛନ୍ତି । କାହ୍ନୁ ଓ ଜହ୍ନମାମୁଁଙ୍କୁ ଦେଖି ସେ ଦୁହେଁ ଘାସକଟା ବନ୍ଦ କରି ଅତି ନମ୍ର ଭାବରେ ହସ ହସ ମୁହଁରେ କାହ୍ନୁ ଓ ଜହ୍ନମାମୁଁଙ୍କ ସହିତ କରମର୍ଦ୍ଦନ କଲେ ।

 

ଜହ୍ନମାମୁଁ କହିଲେ–ଆମେ ତମ ଦେଶକୁ ବୁଲିବାକୁ ଆସିଛୁ । ତମେମାନେ କିପରି ଚଳପ୍ରଚଳ ହୁଅ ଦେଖିଯିବୁ ।

 

କାହ୍ନୁ ପଚାରିଲା–ତମେମାନେ ଏତେ ଘାସ କାଟୁଛ କାହିଁକି ?

Image

ଜଣେ ଚାଷୀ କହିଲା–ଗ୍ରୀଷ୍ମକାଳରେ ଆମେ ପଶୁପଲ ନେଇ ଏ ପାହାଡ଼ ଉପରକୁ ଆସୁ । ଏଠାରେ ଭଲ ଘାସ ହୋଇଥାଏ । ପଶୁମାନେ ଯେତେ ଇଛା ସେତେ ଚରନ୍ତି । ଶୀତକାଳରେ ଚାରିଆଡ଼େ ବରଫ ପଡ଼େ । ସେତେବେଳେ ପଶୁମାନେ ଚରିବାକୁ ଘାସ ପାଆନ୍ତି ନାହିଁ । ସେଥିପାଇଁ ଆମେ ଗ୍ରୀଷ୍ମକାଳରେ ଘାସ କାଟି ତାହାକୁ ଶୁଖାଇ ରଖୁ । କଞ୍ଚାଘାସ ରଖିଲେ ଶୀତଦିନକୁ ତାହା ସଢ଼ିଯିବ ।

 

ଜହ୍ନମାମୁଁ ପଚାରିଲେ–ଘାସ ଗୁଡ଼ିକ ଶୁଖାଅ କିପରି ?

 

ଚାଷୀ ଜଣକ କହିଲା–ଏହି ପାହାଡ଼ିଆ ଜାଗାରେ ଅନେକ ସମୟରେ ମେଘୁଆ ପାଗ ହୁଏ, ବର୍ଷା ହୁଏ ଓ ବହୁତ କାକର ପଡ଼େ । ଏପରି ପାଗରେ ଘାସ ଶୁଖାଇ ହୁଏ ନାହିଁ । ଖରାପାଗ ଦେଖି ଆମେ ଘାସ କାଟୁ ଓ ତାହାକୁ ବିଡ଼ା ବିଡ଼ା କରି ବାନ୍ଧି ଦେଉ । ପାହାଡ଼ ତଳେ ଆମର ଘରଦ୍ଵାର ଅଛି । ପାହାଡ଼ ଉପରୁ ସେଠାକୁ ଏହି ଯେଉଁ ତାର ଗୁଡ଼ିକ ଗଡ଼ାଣିଆ ହୋଇ ଖଞ୍ଜାହୋଇଛି, ତା’ ଉପରେ ଘାସବିଡ଼ାଗୁଡ଼ିକ ରଖିଦେଉ । ସେଗୁଡ଼ିକ ତଳକୁ ଖସି ଖସି ଯାଇ ଆମଘର ଠାରେ ପହଞ୍ଚେ ।

 

କାହ୍ନୁ କହିଲା–ବାଃ ଏତ ଗୋଟାଏ ଭଲ ଉପାୟ ।

 

ଚାଷୀ ଜଣକ କହିଲା–ତଳେ ଆମ ଘରକୁ ଲାଗି ଖଳାବାଡ଼ି ଅଛି । ସେଠାରେ ଅନେକଗୁଡ଼ିଏ କାଠର ଖୁଣ୍ଟ ଧାଡ଼ି ଧାଡ଼ି ପୋତା ହୋଇଥାଏ । ଏହି ଖୁଣ୍ଟରୁ କୀଳା ସବୁ ବାହାରିଥାଏ । ତା’ ଉପରେ ଘାସବିଡ଼ା ସବୁ ଶୁଖାଇ ଦିଆଯାଏ । ଏପରି ଶୁଖାଇଲେ ଘାସଗୁଡ଼ିକ ଚଞ୍ଚଳ ଶୁଖିଯାଏ ।

 

ଜହ୍ନମାମୁଁ କହିଲେ–କାହ୍ନୁ ! ଦେଖୁଛୁ ତ ଏ ଲୋକମାନେ ପଶୁଙ୍କୁ ଖୁଆଇବା ପାଇଁ କେତେ କୌଶଳ କରି ଘାସ ସମ୍ପାଦି ରଖୁଛନ୍ତି ।

 

ଚାଷୀ–ଘାସ ଆମର ଅମୂଲ୍ୟ ସଂପଦ । ପାହାଡ଼ ଉପରେ କେରାଏ ସୁଦ୍ଧା ଘାସ ଆମେ ଛାଡ଼ି ଦେଇ ଆସୁ ନାହିଁ । ପାହାଡ଼ର କେତେକ ଉଚ୍ଚ ଅଂଶକୁ ମେଣ୍ଢା ଓ ଛେଳି ମଧ୍ୟ ଯାଇପାରନ୍ତି ନାହିଁ । ସେଠାକୁ ଆମେ ଅତି କଷ୍ଟରେ ଯାଉ । ଆମ ବୁଟ୍ ଜୋତାତଳେ ଲୁହାକଣ୍ଟା ଲାଗିଥାଏ । ଏହି ଜୋତା ପିନ୍ଧି ଆମେ ଉପରକୁ ଉଠୁ । ଯାହା କିଛି ଘାସ ମିଳେ ତାକୁ କାଟି ବଡ଼ ବଡ଼ ବିଡ଼ା ବାନ୍ଧି ଦେଉ । ଘାସ ବିଡ଼ାଗୁଡ଼ିକ ଉପରୁ ତଳକୁ ଖସାଇ ଆଣୁ ।

 

ଆଉ ଜଣେ ଚାଷୀ କହିଲା–ତମେମାନେ ବହୁତ ଦୂରରୁ ଆସିଛ । ଥକି ପଡ଼ିଥିବ । ଆସ, ଘର ଭିତରକୁ ଯିବା ।

 

ଚାଷୀ ଦୁଇଜଣ ଆଗେ ଆଗେ ଗଲେ । ତାଙ୍କ ପଛରେ କାହ୍ନୁ ଓ ଜହ୍ନମାମୁଁ ଗଲେ ।

 

କାହ୍ନୁ ଘର ଭିତରକୁ ଯାଇ କହିଲା, ଏ ବେଶ୍ ସୁନ୍ଦର ଘର ହୋଇଛି । ଆମ ଆଡ଼େ ଏପରି ଘର ନାହିଁ ।

 

ଜଣେ ଚାଷୀ କହିଲା–ଏ ଘରେ ଆମେ ବର୍ଷସାରା ରହୁ ନାହିଁ । ଏହା ଆମର ଖରାଦିନିଆ ଘର । ଖରାଦିନେ ପଶୁ ପଲଙ୍କୁ ନେଇ ସ୍ତ୍ରୀଲୋକ ଓ ଝିଅପିଲାମାନେ ଆସି ଏହିଠାରେ ରହନ୍ତି । ସେମାନେ ଦୁଧ ଦୁହଁନ୍ତି, ଦୁଧରୁ ଛେନା ଓ ଲହୁଣୀ ତିଆରି କରନ୍ତି । ଆମେ ଦିନେ ଦୁଇଦିନ ପାଇଁ ଏଠାକୁ ଘାସ କାଟିବାକୁ ଆସିଥିଲୁ ।

 

ଜହ୍ନମାମୁଁ ପଚାରିଲେ, ତମର ସ୍ଥାୟୀ ଘରଦ୍ଵାର ଆଉ କେଉଁଠାରେ ଅଛି ?

 

ଚାଷୀ–ପାହାଡ଼ତଳେ ଆମର ସ୍ଥାୟୀ ଘରଦ୍ଵାର । ସେଠାରେ ଆମର ଚାଷଜମି ଅଛି । ଆମେ ଚାଷବାସ କରୁ । ଶୀତଦିନେ ଆମ ପଶୁପଲ ସେହିଠାରେ ରହନ୍ତି ।

 

ନରଓୟେ ଚାଷୀମାନେ ପାହାଡ଼ ଉପରେ କାଠର ଘର ତିଆରି କରନ୍ତି । ଘରଗୁଡ଼ିକ ବେଶ୍ ଲମ୍ବା ଚଉଡ଼ା, କିନ୍ତୁ ବେଶୀ ଉଚ୍ଚ ନୁହେଁ । କାରଣ ଝଡ଼ ତୋଫାନ ହେଲେ ଉଚ୍ଚଘର ଭାଙ୍ଗି ପଡ଼ିବ । ଛାତରେ ଭୁର୍ଜଗଛର ବକଳ ବିଛାଇ ଦିଆଯାଏ । ଏହା ଉପରେ ଘାସ ଚେକାର ଛାଉଣୀ କରାହୁଏ । ଭୂର୍ଜଗଛର ବକଳ ଭାରି ଟାଣ । ଏହା ସହଜରେ ସଢ଼ିଯାଏ ନାହିଁ ।

 

ଚାଷୀ ଦୁଇଜଣ କାହ୍ନୁ ଓ ଜହ୍ନମାମୁଁଙ୍କୁ ଜଳଖିଆ ଖାଇବା ପାଇଁ ଘରକୁ ଡାକିନେଲେ, ଘର ଭିତରେ ଦୁଇଜଣ ସ୍ତ୍ରୀଲୋକ ଓ ଜଣେ ଝିଅ ଥିଲେ । ଚାଷୀ ଦୁଇ ଜଣଙ୍କ ଭିତରୁ ଜଣେ ଝିଅଟିର ବାପା, ଜଣେ ସ୍ତ୍ରୀଲୋକ ଝିଅଟିର ମା’ । ଏମାନଙ୍କ ସାଙ୍ଗରେ କାହ୍ନୁ ଓ ଜହ୍ନମାମୁଁଙ୍କର ଚିହ୍ନାପରିଚୟ ହେଲା । ଝିଅଟିର ନାମ ଏଣ୍ଡ୍ରିଆ । ଏଣ୍ଡ୍ରିଆର ମା’ ଗୋଟିଏ ଚିନାବାସନ ଥାଳିଆରେ ସିଝା ଅଣ୍ଡା, ଘୁଷୁରି ମାଂସ ଓ ଛେଳିଦୁଧର ଛେନା ଆଣିଦେଲା ।

 

କାହ୍ନୁ ଓ ଜହ୍ନମାମୁଁଙ୍କୁ ଭୋକ ଲାଗୁଥିଲା । ଏ ପ୍ରକାର ନୂଆ ଖାଦ୍ୟ ସେମାନେ ବଡ଼ ଆଗ୍ରହର ସହିତ ଖାଇଲେ । ଛେଳି ଦୁଧର ଛେନା ଏଡ଼େ ଭଲ ଲାଗିଲା ଯେ, ଜହ୍ନମାମୁଁ ମାଗି ମାଗି ଗୁଡ଼ାଏ ଛେନା ଖାଇଲେ ।

 

ଖାଇସାରିବା ପରେ ଏଣ୍ଡ୍ରିଆ ଜହ୍ନମାମୁଁଙ୍କୁ ଦୁଇ ପିଆଲା ଓ କାହ୍ନୁକୁ ଦୁଇ ପିଆଲା କଫି ଆଣି ଦେଲା । କଫିରେ ଦୁଧ, ଲହୁଣୀ ଓ ଚିନି ପଡ଼ିଥିଲା । ଭାରି ଭଲ ଲାଗିଲା ।

 

କାହ୍ନୁ ଓ ଜହ୍ନମାମୁଁ ଖାଇସାରିଲା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ଏପରି ଧନ୍ୟବାଦ ଦେବା ଏ ଦେଶର ପ୍ରଚଳିତ ପ୍ରଥା ।

 

ତା’ପରେ ଚାଷୀ ଦୁଇଜଣ ଓ ସ୍ତ୍ରୀଲୋକମାନେ ଜଳଖିଆ ଖାଇଲେ । ଖାଇସାରି ଏଣ୍ଡ୍ରିଆ ଓ ତା’ ମା’ ପଶୁମାନଙ୍କଠାରୁ ଦୁଧ ଦୁହିଁବାକୁ ବାହାରିଲେ । ସେ ଦୁହେଁ ବହୁତ ଦୁଧ ଦୁହିଁଲେ ।

 

କାହ୍ନୁ ପଚାରିଲା–ତମେ ଏତେଗୁଡ଼ାଏ ଦୁଧ କ’ଣ କରିବ ?

 

ଏଣ୍ଡ୍ରିଆ–ପ୍ରତିଦିନ ଯେତେ ଦୁଧ ଦୁହାଁ ହୁଏ, ସେ ସବୁ ପାହାଡ଼ତଳେ ଆମ ଘରକୁ ବୋହି ନେଇଯିବା କଷ୍ଟକର । ତେଣୁ ବେଶୀଭାଗ ଦୁଧକୁ ଆମେ ଛେନା ଛିଡ଼ାଇ ଦେଉ । ଏ ଛେନାକୁ ନେଇ ଘରଭିତରେ ଥଣ୍ଡା ଜାଗାରେ ରଖିଦେଉ । ଶୀତକାଳ ହେଲେ ଏଗୁଡ଼ିକ ତଳକୁ ନେଇଯାଉ । ବାକୀ ଦୁଧରୁ କିଛି ଲହୁଣି କରୁ, ଆଉ କିଛି ଦୁଧରେ ଚିନି ମିଶାଇ ଫୁଟେଇ ଫୁଟେଇ ଘନ କରିଦେଉ । ଏପରି ଦୁଧ ସହଜେ ଖରାପ ହୋଇଯାଏ ନାହିଁ ।

 

କାହ୍ନୁ ଓ ଜହ୍ନମାମୁଁ ପାହାଡ଼ ଉପରୁ ତଳକୁ ଅନାଇ ଦେଖ‌ିଲେ ଗୋଟାଏ ଘଞ୍ଚ ଜଙ୍ଗଲ ଦେଖାଯାଉଛି । ଜଙ୍ଗଲ ଭିତରେ ସ୍ଥାନେ ସ୍ଥାନେ ଘରଗୁଡ଼ିଏ ଦିଶୁଥାଏ ।

 

ଜହ୍ନମାମୁଁ ଏଣ୍ଡ୍ରିଆର ବାପାଙ୍କୁ ପଚାରିଲେ–ଜଙ୍ଗଲ ଭିତରେ ଏ ଘରଗୁଡ଼ିକ କାହାର ?

 

ବାପା–ଏଗୁଡ଼ିକ କାଠକଟାଳିମାନଙ୍କର ଘର । ଘରଗୁଡ଼ିକ କାଠରେ ତିଆରି ହୋଇଛି । କଟାଳିମାନେ ଶୀତଦିନେ ଆସି ଏହି ଘରମାନଙ୍କରେ ରହନ୍ତି । ଏ ଜଙ୍ଗଲରେ ବହୁତ ଫାର୍ ଗଛ ଅଛି । ଏ ଗଛଗୁଡ଼ିକ ସିଧାସଳଖ ଉପରକୁ ବଢ଼ିଯାଏ । ଏହାର କାଠ ଖୁବ୍ ହାଲୁକା ଓ ନରମ । କଟାଳିମାନେ ଏ ଗଛଗୁଡ଼ିକ କୁରାଢ଼ି ଓ କରତ ସାହାଯ୍ୟରେ କାଟନ୍ତି ଓ ଡାଳସବୁ ଛେଦି ଦିଅନ୍ତି । ତା’ପରେ ବୁହାଳିମାନେ ଗଛଗୁଡ଼ିକୁ ଏକପ୍ରକାର ଚକ ନଥ‌ିବା ଗାଡ଼ିରେ ବରଫ ଉପରେ ଘୋଷାରି ଘୋଷାରି ନଈ ପାଖକୁ ନେଇ ଆସନ୍ତି । ଗ୍ରୀଷ୍ମକାଳରେ ବରଫ ତରଳିଗଲେ ଏହି କାଠଗୁଡ଼ିକୁ ଭେଳାକରି ନଈରେ ଭସାଇ କରତକଳ ପାଖକୁ ଆଣନ୍ତି ।

Image

ଜହ୍ନମାମୁଁ ପଚାରିଲେ–ଏହି କାଠଗୁଡ଼ିକ କି କାମରେ ଲାଗେ ?

 

ବାପା–କାଠଗୁଡ଼ିକୁ କଳରେ ପେଷିଦେଲେ କାଠମଣ୍ଡ ହୁଏ । ଏହି ମଣ୍ଡରୁ ନାନା ପ୍ରକାର କାଗଜ ତିଆରି ହୁଏ । ତା’ ଛଡ଼ା ଏଥିରୁ ନକଲି ରେଶମ ପ୍ରସ୍ତୁତ ହୁଏ । ଦିଆସିଲି କାଠି ତିଆରି କରିବା ପାଇଁ ଏହି କାଠ ମଧ୍ୟ ବ୍ୟବହାର କରାଯାଏ ।

 

କାହ୍ନୁ–କାଠରୁ କାଗଜ ଓ ରେଶମ ଲୁଗା ତିଆରି ହୁଏ ବୋଲି ମୁଁ ଜାଣି ନଥିଲି । ଏହି ଜଙ୍ଗଲରୁ କ’ଣ ଏତେ କାଠ ମିଳେ ?

 

ବାପା–ଜଙ୍ଗଲରୁ ଏତେ ଗଛ କଟାଗଲାଣି ଯେ ଏବେ ଆଉ ବେଶି ଗଛ ନାହିଁ । ସେଥିପାଇଁ ପାହାଡ଼ ଉପରେ ଗଛ ଲଗାଇବା ପାଇଁ ସ୍କୁଲରେ ମାଷ୍ଟରମାନେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି । ବର୍ଷରେ ଦିନେ ସ୍କୁଲ ପିଲାମାନେ ପାହାଡ଼ ପାଖକୁ ଯାଇ ଗୋଟିଏ ଗୋଟିଏ ଗଛ ଲଗାନ୍ତି-। ସେ ଦିନଟି ପିଲାମାନଙ୍କୁ ଛୁଟି ମିଳେ । ଏହାକୁ ଆମେ ବନମହୋତ୍ସବ କହୁ ।

 

ଜହ୍ନମାମୁଁ କାହ୍ନୁକୁ କହିଲେ–କାହ୍ନୁ ! ଏଠାରେ ଆମେ ଯାହା ଦେଖିବାର ଦେଖି ସାରିଲେଣି । ଚାଲ, ପାହାଡ଼ ତଳକୁ ଯିବା । ସେଠାରେ ଏହି ଚାଷୀମାନେ କିପରି ଚାଷବାସ କରନ୍ତି ଦେଖିବା ।

 

ଜହ୍ନମାମୁଁ କହିଲେ–ତମେମାନେ ଆମକୁ ଯେପରି ଆଦରଯତ୍ନ କଲ, ତାହା କେବେ ଭୁଲି ପାରିବୁ ନାହିଁ । ବିଦାୟ ଦିଅ, ଆମେ ଏଠାରୁ ଯିବୁ । ପାହାଡ଼ ତଳେ ତମର ଯେଉଁ ଘରଦ୍ଵାର ଅଛି ସେଠାରେ ଦିନେ ଓଳିଏ ରହିବୁ ।

 

ଏଣ୍ଡ୍ରିଆର ବାପା ଭାରି ଖୁସିହୋଇ କହିଲେ–ଚାଲ, ମୋର ସଙ୍ଗୀ ଓ ମୁଁ ମଧ୍ୟ ପାହାଡ଼ତଳ ଘରକୁ ଯିବାକୁ ବାହାରିଛୁ । ଏଠାରେ ଘାସକଟା ସରିଲାଣି ।

 

କାହ୍ନୁ ଓ ଜହ୍ନମାମୁଁ, ଏଣ୍ଡ୍ରିଆର ବାପା ଅନ୍ୟ ଚାଷୀଜଣକ ସାଙ୍ଗରେ ଯାଇ ପାହାଡ଼ ତଳେ ପ୍ରଥମ ଘରଟି ପାଖରେ ପହଞ୍ଚିଲେ ।

 

ଘରଟି କାଠରେ ତିଆରି । ଏ ଘରଟି ସବୁଠାରୁ ବଡ଼ । ଏହା ପାଖକୁ ଲାଗି ଆଉ ତିନୋଟି ସାନ ଘର । ଘର ଗୁଡ଼ିକରେ ଧଳା ଓ ଲାଲରଙ୍ଗ ଦିଆହୋଇଥାଏ ।

Image

ଏଣ୍ଡ୍ରିଆର ବାପା କାହ୍ନୁ ଓ ଜହ୍ନମାମୁଁଙ୍କୁ ସାଙ୍ଗରେ ନେଇ ତାଙ୍କ ଘର ଦେଖାଇଲେ । କହିଲେ–ଏହି ବଡ଼ ଘରଟି ଆମ ରହିବା ଘର । ଏ ଘରର ତିନି ପାଖରେ ଆଉ ତିନୋଟି ଘର ଦେଖୁଛ । ଏହା ଭିତରୁ ବଡ଼ ଘରଟିରେ ଶୀତକାଳରେ ଆମ ପଶୁପଲ ରହନ୍ତି । ଘରଟି ନୀଚା । ଏହାର ଛାତ ଭୁର୍ଜଗଛର ବଳ୍କଳରେ ଛାଉଣୀ କରାହୋଇଛି । ଏହି ଘରର ଉପର ବଖରାରେ ଶୁଖିଲା ଘାସ ରଖାହୋଇଛି । ଏଥିପାଇଁ ତଳଘରଟି ବେଶ ଉଷୁମ ରହେ । ପଶୁମାନଙ୍କୁ ଶୀତ ଲାଗେ ନାହିଁ । ଆଉ ଯେଉଁ ଗୋଟିଏ ଘର ଦେଖୁଛ, ସେଥ‌ିରେ ଆମେ ଦୁଧ, ଲହୁଣି, ଛେନା, ମାଂସ, ମଇଦା ପ୍ରଭୃତି ଖାଦ୍ୟପଦାର୍ଥ ରଖୁ । ଏ ଗୋଟିକ ଆମର ଭଣ୍ଡାର ଘର । ଏ ଘରଟି କେତେଗୁଡ଼ିଏ ଖମ୍ବ ଉପରେ ତିଆରି ହୋଇଛି । ଘରଟି ଉଚ୍ଚ ହୋଇଥିବାରୁ ସବୁବେଳେ ଶୁଖିଲା ରହେ । ଖାଦ୍ୟପଦାର୍ଥ ସହଜରେ ଖରାପ ହୋଇଯାଏ ନାହିଁ ।

 

କାହ୍ନୁ କହିଲା–ତମେମାନେ ବଡ଼ କୌଶଳରେ ଏ ଘର ସବୁ ତିଆରି କରିଛ ।

 

ଜହ୍ନମାମୁଁ ପଚାରିଲେ–ଏଠାରେ ତମର ଚାଷବାସ କିପରି ହୁଏ ?

 

ଏଣ୍ଡ୍ରିଆ ବାପା–ଏଠାରେ ଚାଷଜମି ଖୁବ୍ କମ୍ । ପାହାଡ଼ତଳିଆ ଜମି ହୋଇଥିବାରୁ ଏହା ବିଶେଷ ଊର୍ବର ନୁହେଁ । ଯଅ, ବାର୍ଲି, ଆଳୁ ପ୍ରଭୃତି ଆମେ ଏହି ଜମିରେ ଚାଷ କରୁ । ଏଠାରେ ଶୀତକାଳ ବର୍ଷରେ ପ୍ରାୟ ନଅ ମାସ ରହେ । ସେ ସମୟରେ କୌଣସି ଚାଷବାସ ହୋଇପାରେ ନାହିଁ । ସେଥ୍‌ପାଇଁ ଗ୍ରୀଷ୍ମକାଳରେ ଆମକୁ ପଶୁମାନଙ୍କ ପାଇଁ ଦାନା ଉତ୍ପନ୍ନ କରିବାକୁ ହୁଏ ଓ ଘାସ ମଧ୍ୟ ଶୁଖାଇ ରଖିବାକୁ ହୁଏ ।

 

ଏଣ୍ଡ୍ରିଆର ବାପା କହିଲେ–ତମେ ଦୁଇଜଣ ସକାଳେ ଟିକିଏ ଜଳଖିଆ ଖାଇଥିଲ । ଆମ ଖାଇବାବେଳ ହେବାକୁ ଡେରି ଅଛି । ଏହିକ୍ଷଣି ଅଳ୍ପ ଟିକିଏ କିଛି ଖାଅ । ଏହା କହି ସେ କାହ୍ନୁ ଓ ଜହ୍ନମାମୁଁଙ୍କୁ ରୁଟି, ଲହୁଣି, ସିଝାଫଳ ଓ ସେ ଦେଶର ଏକ ପ୍ରକାର ପିଠା ଆଣିଦେଲେ ।

 

ଏ ପିଠା କାହ୍ନୁ ଓ ଜହ୍ନମାମୁଁଙ୍କୁ ଖୁବ୍ ଭଲ ଲାଗିଲା ।

 

ଜହ୍ନମାମୁଁ କହିଲେ–ତମ ଦେଶର ଏ ପିଠା ଅତି ଚମତ୍କାର ।

 

କାହ୍ନୁ କହିଲା–ତମ ଏ ଗାଁଟି ଖୁବ୍ ସାନ; ଆଉସବୁ ଗାଁ କ’ଣ ଏହିପରି ?

 

ଏଣ୍ଡ୍ରିଆର ବାପା–ହଁ, ଆମ ଦେଶର ଗାଁ ଗୁଡ଼ିକ ଏହିପରି ସାନ । ଘରଗୁଡ଼ିକ ଛଡ଼ା ଛଡ଼ା-

 

ଜହ୍ନମାମୁଁ ପଚାରିଲେ–ତମେମାନେ ଜିନିଷପତ୍ର ସହରରୁ ଆଣ ନା ଗାଁରେ ଦୋକାନପତ୍ର ଅଛି ?

 

ବାପା–ଗାଁ ମୁଣ୍ଡରେ ଆମର ଗୀର୍ଜାଘର ଅଛି । ତା’ପାଖରେ ଗାଁ ଦୋକାନ । ଏହି ଦୋକାନରେ ଚାଷ କରିବାର ହାତହତିଆର, ପୋଷାକପତ୍ର, ଖାଇବା ଜିନିଷ ଓ ମନହରୀ ପଦାର୍ଥ ପ୍ରଭୃତି ସବୁ ଦରକାରୀ ଜିନିଷ କିଣିବାକୁ ମିଳେ ।

 

କାହ୍ନୁ ଓ ଜହ୍ନମାମୁଁ ଅଳ୍ପକ୍ଷଣ ପାଇଁ ଥକା ମେଣ୍ଟାଇଲେ ।

 

କାହ୍ନୁ ବାପାଙ୍କୁ ପଚାରିଲା–ତମ ପିଲାମାନେ କାହାନ୍ତି ?

 

ବାପା–ମୋ ଝିଅ ଏଣ୍ଡ୍ରିଆକୁ ତମେମାନେ ପାହାଡ଼ ଉପରେ ଦେଖି ଆସିଲ । ସାନପୁଅ ଓଲଫ୍ ଖେଳିବାକୁ ଯାଇଛି, ଏହିକ୍ଷଣି ଆସିବ । ବଡ଼ପୁଅ ସହରରେ ରହି ପାଠ ପଢ଼େ ।

 

ଅଳ୍ପ ସମୟ ପରେ ଓଲଫ୍‍ ଦଉଡ଼ି ଦଉଡ଼ି ଆସି ପହଞ୍ଚିଲା । ଅତିଥି ଦୁଇଜଣଙ୍କୁ ଦେଖି ନମସ୍କାର କଲା ।

 

କାହ୍ନୁ ପଚାରିଲା–ତମେ କ’ଣ ଖେଳୁଥିଲ ?

 

ଓଲଫ୍–ମୁଁ ପାହାଡ଼ କଡ଼ରେ ବୁଲିବାକୁ ଯାଇଥିଲି । ସେଠାରେ ଅନେକ ପ୍ରକାର କୋଳିଗଛ ଅଛି । ମୁଁ ମନଇଚ୍ଛା କୋଳି ତୋଳି ଖାଇଲି । କିଛି କୋଳି ପକେଟରେ ପୂରାଇ ଆଣିଛି-। ଖାଇ ଦେଖ, ଏ କି ଚମତ୍କାର କୋଳି !

 

ଏହା କହି ଓଲଫ୍ କିଛି କୋଳି ପକେଟରୁ ବାହାର କରି କାହ୍ନୁକୁ ଦେଲା ।

 

ଜହ୍ନମାମୁଁ ପଚାରିଲେ–ତମେ ସ୍କୁଲରେ ପାଠ ପଢ଼ ତ ?

 

ଓଲଫ୍–ମୁଁ ବାପାଙ୍କୁ ପଶୁପାଳନ ଓ ଚାଷକାମରେ ସାହାଯ୍ୟ କରେ । ମୋ ଭଉଣୀ ଏଣ୍ଡ୍ରିଆ ମାଆଙ୍କ ସାଙ୍ଗରେ ଘରକାମ କରେ । ପଢ଼ିବାପାଇଁ ମଫସଲରେ ଭଲ ସ୍କୁଲ ନାହିଁ । ମୋ ବଡ଼ ଭାଇ ସହରକୁ ଯାଇ ସେଠାରେ ଗୋଟାଏ ସ୍କୁଲରେ ପଢ଼ାପଢ଼ି କରନ୍ତି । ସହରରେ ସାତବର୍ଷରୁ ଚଉଦବର୍ଷ ବୟସର ବାଳକ ବାଳିକାମାନେ ପାଠ ପଢ଼ିବାକୁ ବାଧ୍ୟ ।

 

କାହ୍ନୁ–ତମ ବଡ଼ଭାଇ ସହରରେ କେଉଁଠାରେ ରହି ପାଠ ପଢ଼ନ୍ତି ?

 

ଓଲଫ୍–ବାପାଙ୍କର ଜଣେ ବନ୍ଧୁ ସହରରେ ଚାକିରି କରନ୍ତି । ମୋ ଭାଇ ତାଙ୍କ ଘରେ ରହି ପାଠ ପଢ଼ନ୍ତି । ପ୍ରତି ଶନିବାର ଦିନ ଓ ଗ୍ରୀଷ୍ମ ଛୁଟିରେ ସେ ଘରକୁ ଆସନ୍ତି । ସହରର ପିଲାମାନେ ମଫସଲ ଆସି ବୁଲିବାକୁ ବଡ଼ ଭଲ ପାଆନ୍ତି ।

 

କାହ୍ନୁ–ସ୍କୁଲରେ କି କି ଖେଳ ହୁଏ ?

Image

ଓଲଫ୍–ସ୍କୁଲର ବାଳକବାଳିକାମାନେ ଫୁଟବଲ୍‌ ଖେଳନ୍ତି, ସାଇକଲ୍ ଚଢ଼ି ଶିଖନ୍ତି, ପହଁରା ଶିଖନ୍ତି । କସରତ୍‌ କରିବା ପାଇଁ ସ୍କୁଲରେ ଅନେକ ପ୍ରକାର ସାଜସରଞ୍ଜାମ ଅଛି । ଏସବୁ ଖରାଦିନିଆ ଖେଳ । ଶୀତକାଳରେ ଆମେ ଅନ୍ୟ ପ୍ରକାର ଖେଳ ଖେଳୁ ।

 

କାହ୍ନୁ–ଶୀତକାଳରେ ତମ ଦେଶ ପରା ବରଫରେ ଛାଇଯାଏ ? ତମେ ଖେଳ କିପରି-?

 

ଓଲଫ୍–ଶୀତକାଳରେ ଭୂଇଁ ଉପରେ ପରସ୍ତ ପରସ୍ତ ବରଫ ପଡ଼ି ଜମାଟ ବାନ୍ଧିଯାଏ । ଏହି ଜମାଟ ବରଫ ଉପରେ ଆମେ ଅନେକ ପ୍ରକାର ଖେଳ ଖେଳୁ । ଗୋଟାଏ ପ୍ରକାର ଖେଳରେ ଆମେ ଦୁଇପାଦରେ ବୁଟ୍‌ଜୋତା ପିନ୍ଧି ଜୋତା ତଳେ ଦୁଇଖଣ୍ଡ କାଠପଟା ବାନ୍ଧି ଦେଉ । କାଠ ଦୁଇଖଣ୍ଡ ପ୍ରାୟ ଛ’ଇଞ୍ଚ ଲମ୍ବ ହୋଇଥାଏ ଓ ସାମନା ପଟରେ ଉପରକୁ ବାଙ୍କ କରା ହୋଇଥାଏ । ପଟ୍ଟାମଝିରେ ଚମଡ଼ାର ପଟି ଲାଗିଥାଏ । ପାଦରେ ବୁଢ଼ା ଆଙ୍ଗୁଳି ଠାରୁ ଗୋଇଠି ପର୍ଯ୍ୟନ୍ତ ଚାପି ଧରିବା ପାଇଁ ଧାତୁନିର୍ମିତ ଚିପ୍ ଲାଗିଥାଏ । ହାତରେ ଖଣ୍ଡେ ଖଣ୍ଡେ ଧାତୁନିର୍ମିତ ଗୋଜିଆ ବାଡ଼ି ଧରି, ଆମେ ଏହି କାଠ ପାଦୁକା ପିନ୍ଧି ବରଫ ଉପରେ ଚାଲୁ ।

 

କାହ୍ନୁ ପଚାରିଲା–ଏହି କାଠ ପାଦୁକା ପିନ୍ଧି ତମେ ପାହାଡ଼ର ଉଚ୍ଚ ଅଂଶକୁ ଯାଇପାର ତ-?

 

ଓଲଫ୍–ହଁ, ଆଗକୁ ଭରା ଦେଇ କଷ୍ଟ କରି ଉଠିପାରୁ । ଉପରକୁ ଉଠି ଆମେ ଏହି ପାଦୁକା ସାହାଯ୍ୟରେ ତଳକୁ ଖସି ଆସୁ ।

 

କାହ୍ନୁ କହିଲା–ଏ ଗୋଟାଏ ବଡ଼ କୌତୁକିଆ ଖେଳ ।

 

ଓଲଫ୍–ଅତି ଅଳ୍ପ ବୟସରୁ ଆମେ ଏ ଖେଳ ଶିଖୁ । ଆମର ଏପରି ଅଭ୍ୟାସ ହୋଇଯାଏ ଯେ, ବରଫ ଉପରେ ଚାଲୁଛୁ ବୋଲି ମନେହୁଏ ନାହିଁ । ଆଉ ଗୋଟାଏ ଖେଳ କଥା କହୁଛି ଶୁଣ । ବରଫ ଉପରେ ଯିବାପାଇଁ ଆମେ ଗୋଟାଏ ପ୍ରକାର ଗାଡ଼ି ବ୍ୟବହାର କରୁ । ଏ ଗାଡ଼ିରେ ଚକ ନ ଥାଏ । ଚିକ୍‌କଣ ବରଫ ଉପରେ ଏହା ଖସରି ଯାଏ । ଜଣେ କି ଦୁଇଜଣ ପିଲା ଏହି ଗାଡ଼ିରେ ବସନ୍ତି । ତାଙ୍କ ବଡ଼ ଭାଇ କି ବଡ଼ ଭଉଣୀ ଗାଡ଼ି ପଛରେ ଠିଆ ହୋଇ ପଛପଟରୁ ଗାଡ଼ିଟିକୁ ଧରି ଗୋଡ଼ରେ ଠେଲୁଥାନ୍ତି । ଏ ଖେଳ ବି ଆମେ ପିଲାଦିନରୁ ଶିଖୁ । ଏହାଛଡ଼ା ଆମେ ବରଫରେ ମଣିଷର ମୂର୍ତ୍ତି ଗଢ଼ୁ । ବରଫର ପେଣ୍ଡୁ ତିଆରି କରି ତାକୁ ବରଫ ଉପରେ ଗଡ଼ାଉ ।

 

ଖେଳ କଥା ସରିଲା । ସମସ୍ତେ ଖାଇବାକୁ ଗଲେ । ନରଓୟେର ଲୋକମାନେ ଉପରଓଳି ପେଟ ପୂରାଇ ଖାଆନ୍ତି । ଏହାହିଁ ସେମାନଙ୍କର ପ୍ରଧାନ ଖିଆ ।

 

ଓଲଫ୍‌ର ବାପା ଗୋଟିଏ ଗୋଟିଏ ପାତ୍ରରେ ପ୍ରଥମେ ମାଂସର ସୁରୁଆ ଆଣିଦେଲେ । ତା’ପରେ ମାଛ ତରକାରୀ, ଫଳ ଓ ଲହୁଣି ଆଣିଲେ । ଜହ୍ନମାମୁଁଙ୍କୁ ମାଛ ତରକାରୀ ବଡ଼ ଭଲ ଲାଗିଲା । ସେ ପଚାରିଲେ–ଏ ଦେଶରେ ମାଛ କେଉଁଠାରୁ ଧରାଯାଏ ?

 

ବାପା–ଆମ ଦେଶର ତିନିପାଖରେ ସମୁଦ୍ର । ପଶ୍ଚିମ ଉପକୂଳରେ ସମୁଦ୍ର ପାଣି ସ୍ଥାନେ ସ୍ଥାନେ ଦେଶ ଭିତରକୁ ପଶି ଯାଇଛି । ଏଗୁଡ଼ିକୁ ଆମେ ଫିୟର୍ଡ଼କହୁ । ଫିୟର୍ଡ଼ଗୁଡ଼ିକର ଦୁଇପାଖରେ ଉଚ୍ଚ ପାହାଡ଼ସବୁ ତିଖ ହୋଇ ରହିଅଛି । ଫିୟର୍ଡ଼ଗୁଡ଼ିକର ପାଣି ଧୀରସ୍ଥିର ଥାଏ । ଏଥ‌ିରେ ନାନାପ୍ରକାର ମାଛ ରହନ୍ତି ।

 

Image

 

କାହ୍ନୁ ପଚାରିଲା–ମାଛଗୁଡ଼ିକ ଧରା ହୁଅନ୍ତି କିପରି ?

 

ବାପା–ଆମ ଦେଶର ମାଛଧରାଳିମାନେ ଡଙ୍ଗାରେ ଯାଇ ଗଦା ଗଦା ମାଛ ଧରନ୍ତି । ଏହି ମାଛଗୁଡ଼ିକ ମଧ୍ୟରୁ କଡ଼୍‍ ଓ ହେରିଙ୍ଗ୍ ନାମରେ ଦୁଇଜାତିର ମାଛ ଖାଇବାକୁ ବଡ଼ ନରମ ଓ ସୁସ୍ଵାଦୁ ।

 

ଜହ୍ନମାମୁଁ–ତେବେ କ’ଣ ମାଛମାରିବା ତମ ଦେଶର ଗୋଟିଏ ବ୍ୟବସାୟ ?

 

ବାପା–ହଁ, ଆମଦେଶରେ ଅନେକ ଲୋକଙ୍କର ସମୁଦ୍ରରୁ ମାଛ ଧରିବା ଗୋଟିଏ ବଡ଼ ବ୍ୟବସାୟ । ସେମାନେ ଖାଲି ଯେ ମାଛ ଧରନ୍ତି ତାହା ନୁହେଁ; ମାଛ ଶୁଖାଇ ଶୁଖୁଆ କରିବା, ମାଛରେ ଲୁଣ ଦେଇ ସୁରକ୍ଷିତ କରିବା, କଡ଼୍‍ ମାଛରୁ ତେଲ ବାହାର କରିବା ମଧ୍ୟ ମାଛଧରାଳିମାନଙ୍କ କାମ ।

 

କାହ୍ନୁ ଓଲଫକୁ କହିଲା–ଆମେ ତମ ଦେଶର ଗୋଟିଏ ଗପ ଶୁଣିବୁ ।

 

ଓଲଫ୍‍–ହେଉ, ଗୋଟିଏ ମଜାର ଗପ କହିବି, ଶୁଣ । ଆଚ୍ଛା, କାହ୍ନୁ କହିଲ–କୋକିଶିଆଳ ଲାଞ୍ଜର ପଛ ଅଂଶଟା ଧଳା ହୋଇଥାଏ କାହିଁକି ?

 

କାହ୍ନୁ–ଏ ଗୋଟାଏ ଅଡ଼ୁଆ ପ୍ରଶ୍ନ । ମୁଁ କୋକିଶିଆଳ ଦେଖିଛି । ତା ଦେହର ରଙ୍ଗ କହରା, କିନ୍ତୁ ତା ଲାଞ୍ଜ ପଛଟା ଧଳା ହୋଇଥାଏ କାହିଁକି–ଏକଥା ମୁଁ କେବେହେଲେ ମନକୁ ପଚାରି ନାହିଁ ।

 

ଓଲଫ୍–ତେବେ ଆମ ଦେଶର ଏ ଗପଟି ଶୁଣ, ଜାଣିବ । ଜଣେ ବୁଢ଼ୀ ଛଅଟା ଘୁଷୁରି ଆଉ ଦଶଟା କୁକୁଡ଼ା ପାଳିଥିଲା । ବୁଢ଼ୀର ବୟସ ବେଶି ହେବାରୁ ତା’ର ବଳ ହଟିଲା । ସେ ଆଉ ପ୍ରାଣୀଗୁଡ଼ିଙ୍କୁ ଦେଖାଚାହାଁ କରି ପାରିଲା ନାହିଁ ।

 

ବୁଢ଼ୀ ତା’ର ଜଣେ ପଡ଼ିଶାକୁ କହିଲା–ରେ ପୁଅ ! ମୋର ଘୁଷୁରି ଓ କୁକୁଡ଼ାଗୁଡ଼ିକ କଥା ତୁ ଟିକିଏ ବୁଝାଶୁଝା କର । ମୁଁ ଆଉ ପାରୁନାହିଁ ।

 

ପଡ଼ିଶା କହିଲା–ଲୋ ମାଉସୀ ! ମୋ କାମ ମୋତେ ବଳାଉଛି । ତୋ ପ୍ରାଣୀଙ୍କ କଥା ବୁଝିବି କେତେବେଳେ ?

 

ତହୁଁ ବୁଢ଼ୀ ଯାଇ ଗୋଟିଏ ଭାଲୁକୁ କହିଲା–ହଇରେ ଭାଲୁ ! ତୁ ମୋ ପ୍ରାଣୀଗୁଡ଼ିକ କଥା ଟିକିଏ ବୁଝନ୍ତୁ କି ?

 

ଭାଲୁ ଭାବିଲା–ଏ ସୁଯୋଗ ଛାଡ଼େ କିଏ ? ବେଳକାଳ ଉଣ୍ଡି ଗୋଟାଏ ଦୁଇଟା ପ୍ରାଣୀ ମୋର ଜଳଖିଆ ହେବ ।

 

ଭାଲୁ କହିଲା–ହେଉ, ମାଉସୀ ! ତୋତେ ସାହାଯ୍ୟ କରିବି । ତୋ କଥା କ’ଣ ଏଡ଼ିଦେଇ ହେବ ?

 

ବୁଢ଼ୀ ପଚାରିଲା–ତୁ ମୋ ପ୍ରାଣୀଗୁଡ଼ିକୁ କ’ଣ କହି ଡାକିବୁ ?

 

ଭାଲୁ କହିଲା–ମୁଁ ଗିର୍ ଗିର୍ ଶବ୍ଦ କରି ଡାକିବି ।

 

ବୁଢ଼ୀ କହିଲା–ନାହିଁରେ ପୁଅ । ଇମିତି ଡାକିଲେ ମୋ ପ୍ରାଣୀଗୁଡ଼ିକ ଡରିଯିବେ ।

 

ତହୁଁ ବୁଢ଼ୀ ଗଧିଆ ପାଖକୁ ଗଲା । ଗଧିଆକୁ କହିଲା–ତୁ ମୋ ଘୁଷୁରି ଆଉ କୁକୁଡ଼ାଗୁଡ଼ିକୁ ଦେଖାଚାହାଁ କରିପାରିବୁ ?

 

ଗଧିଆ ଭାବିଲା–ଯାଚିବା ମାଲ ଛାଡ଼େ କିଏ ? ଗୋଟାଏ ଦୁଇଟା ପ୍ରାଣୀ ମୋ ପେଟରେ ପଡ଼ିବ । ନା କରିବି କାହିଁକି ?

 

ଗଧିଆ କହିଲା–ହେଉ, ମାଉସୀ ! ବୁଢ଼ୀଟାକୁ ସାହାଯ୍ୟ କରିବି ନାହିଁ ତ, ଆଉ କାହାକୁ ସାହାଯ୍ୟ କରିବି ?

 

ବୁଢ଼ୀ ପଚାରିଲା–ତୁ ମୋ ପ୍ରାଣୀଗୁଡ଼ିକୁ କଅଁଳେଇ ଡାକିବୁ ତ ?

 

ଗଧିଆ କହିଲା–ହଁ, ମୁଁ ଡାକିବି, ଓ, ଓ, ଓ ।

 

ବୁଢ଼ୀ କହିଲା–ନାହିଁରେ ପୁଅ, ଏପରି ଡାକିଲେ ସେମାନେ ଡରିଯିବେ ।

 

ତହୁଁ ବୁଢ଼ୀ ଗୋଟିଏ କୋକିଶିଆଳ ପାଖକୁ ଗଲା । କୋକିଶିଆଳକୁ ପଚାରିଲା–ତୁ ମୋ କୁକୁଡ଼ାଗୁଡ଼ିକର ଖବର ବୁଝିପାରିବୁ ?

 

କୋକିଶିଆଳ କହିଲା–ହେଉ, ଏ କେଉଁ ବଡ଼କାମ ଯେ ପାରିବି ନାହିଁ ?

 

ବୁଢ଼ୀ ପଚାରିଲା–ତୁ ସେମାନଙ୍କୁ କଅଁଳେଇ ଡାକିବୁ ତ ?

 

କୋକିଶିଆଳ–ହଁ, ମୁଁ ଅତି ଶରଧାରେ ଡାକିବି–ଆସ ବାପଧନ ଆସ, ଆସ ।

 

ବୁଢ଼ୀ କହିଲା–ବେଶ୍, ବେଶ । ତାହେଲେ ସେମାନେ ତୋତେ ଡରିବେ ନାହିଁ ।

 

କୋକିଶିଆଳ ବୁଢ଼ୀ ଘରକୁ ଆସି ରହିଲା, ଘୁଷୁରି ଓ କୁକୁଡ଼ାଗୁଡ଼ିକୁ ଆଦର ଯତ୍ନ କଲା-। ପ୍ରତିଦିନ ତାଙ୍କୁ ଖାଇବାକୁ ଦିଏ, ପାଣି ପିଇବାକୁ ଦିଏ । ରାତି ହେଲେ କୁକୁଡ଼ାଗୁଡ଼ିକୁ ତାଙ୍କ ଘରେ ବନ୍ଦ କରିଦିଏ ।

 

ବୁଢ଼ୀ କହିଲା–କୋକିଶିଆଳ ବେଶ୍ କାମିକା ପ୍ରାଣୀ । ସେ ମୋର ଖୁବ୍ ସାହାଭରସା ହେଲା ।

 

ଦିନେ କ’ଣ ହେଲା କି ବୁଢ଼ୀ ତା’ର ସାନ କଳା ଘୁଷୁରିଟାକୁ ଖୋଜି ଖୋଜି ପାଇଲା ନାହିଁ ।

 

ବୁଢ଼ୀ କୋକିଶିଆଳକୁ ପଚାରିଲା–ମୋର କଳାସାନ ଘୁଷୁରିଟା କାହିଁ ?

 

କୋକିଶିଆଳ କହିଲା–ସେ ବଣକୁ ଯାଇଛି, ଏହିକ୍ଷଣି ଆସିବ । କିନ୍ତୁ କଳା ସାନ ଘୁଷୁରି ଘରକୁ ଆସିଲା ନାହିଁ ।

 

ତା’ ପରଦିନ ବୁଢ଼ୀ ତା’ର ଧଳା କୁକୁଡ଼ାକୁ ଖୋଜି ଖୋଜି ପାଇଲା ନାହିଁ ।

 

ବୁଢ଼ୀ କୋକିଶିଆଳକୁ ପଚାରିଲା–ମୋର ଧଳା ବଡ଼ କୁକୁଡ଼ାଟି କାହିଁ ?

 

କୋକିଶିଆଳ କହିଲା–ସେ ଗଡ଼ିଆକୁ ଯାଇଛି । ଆଉ ଟିକିଏ ପରେ ଆସିବ ।

 

କିନ୍ତୁ ଧଳା କୁକୁଡ଼ାଟି ଘରକୁ ଫେରିଲା ନାହିଁ ।

 

ସଞ୍ଜବେଳେ ବୁଢ଼ୀ ଧଳା ବଡ଼ କୁକୁଡ଼ା ଖୋଜିବା ପାଇଁ କୁକୁଡ଼ା ଘରକୁ ଗଲା । ହାତରେ ସେ ଗୋଟିଏ ଦୁଧଠେକି ଧରିଥାଏ । ବୁଢ଼ୀ କୁକୁଡ଼ାଘରେ ପହଞ୍ଚିବା ମାତ୍ରେ କୁକୁଡ଼ା ଗୁଡ଼ାକ କ କ କ, କ କ କ ଶବ୍ଦ କଲେ । ସେମାନେ ଭୟରେ ଛାନିଆ ହୋଇ କୁକୁଡ଼ା ଘର ଚାରିପଟେ ଘୂରି ବୁଲୁଥାନ୍ତି ।

 

ତା’ପରେ ବୁଢ଼ୀ କ’ଣ ଦେଖିଲା ଜାଣ ? ସେ ଦେଖିଲା କୋକିଶିଆଳ ତା’ ମୁହଁରେ ଗୋଟିଏ କୁକୁଡ଼ା ଧରି ଘର ଭିତରୁ ବାହାରି ଆସୁଛି । ବୁଢ଼ୀ କାବାହୋଇ ଠିଆ ହୋଇ ରହିଲା । ତାହାର ସର୍ବାଙ୍ଗ କମ୍ପି ଉଠିଲା ।

 

ବୁଢ଼ୀ କହିଲା–ରେ ଦୁଷ୍ଟ ପାଷାଣ୍ଡ ! ତୁ ମୋ ଘୁଷୁରି ଖାଇଛୁ । ତୁ ମୋ କୁକୁଡ଼ା ଖାଇଛୁ । ମୋ ଆଖି ଆଗରେ ଆଉ ଗୋଟାଏ କୁକୁଡ଼ା ନେଇ ଯାଉଛୁ । ଦେଖ୍, ଏ କୁକୁଡ଼ାକୁ ତୁ ଖାଇ ପାରିବୁ ନାହିଁ ।

 

ରାଗରେ ବୁଢ଼ୀର ଦେହ ଜଳିଗଲା । ସେ ଦୁଧଠେକିଟା କୋକିଶିଆଳ ଉପରକୁ ଫିଙ୍ଗିଦେଲା ।

 

କୋକିଶିଆଳ ‘ମାଆ ଲୋ’’ ବୋଲି କହନ୍ତେ କୁକୁଡ଼ାଟା ତା’ ମୁହଁରୁ ଖସିପଡ଼ିଲା ।

 

କୋକିଶିଆଳ ବଣ ଭିତରକୁ ଦଉଡ଼ି ପଳାଇଲା । ବଣରେ ଗୋଟାଏ ନିରୋଳା ସ୍ଥାନରେ ବସି ତା’ ଲାଞ୍ଜକୁ ଅନାଇ ଦେଖିଲା ଯେ ଦୁଧ ତା’ ଲାଞ୍ଜସାରା ବୋହି ଯାଇଛି । ଆଉ ତା’ ଲାଞ୍ଜର ଶେଷ ଅଂଶଟା ଧଳା ହୋଇଯାଇଛି ।

 

ସେହିଦିନଠାରୁ କୋକିଶିଆଳ ଲାଞ୍ଜର ପଛ ଅଂଶ ଧଳାହୋଇ ରହିଛି ।

 

କୋକିଶିଆଳକୁ ଦେଖିଲାକ୍ଷଣି ଲୋକେ କହନ୍ତି–ଦେଖ, ଦେଖ ! କୋକିଶିଆଳ କେଡ଼େ ଦୁଷ୍ଟ । ସେ ଘୁଷୁରି ଓ କୁକୁଡ଼ାଙ୍କୁ ଚୋରାଇ ନିଏ । ବୁଢ଼ୀ ତା’ ଘୁଷୁରି ଓ କୁକୁଡ଼ାଙ୍କୁ ନେଇ ଯାଉଥିବାର ଦେଖି ତା’ ଉପରେ ଦୁଧ ଅଜାଡ଼ି ଦେଲା । ଏଥ‌ିପାଇଁ ତା’ ଲାଞ୍ଜର ଶେଷମୁଣ୍ଡ ଧଳା ହୋଇଛି ।

 

ଗପ ଶୁଣିସାରି କାହ୍ନୁ ଓ ଜହ୍ନମାମୁଁ ଘରକୁ ଫେରିଆସିବାକୁ ବାହାରିଲେ ।

 

ଜହ୍ନମାମୁଁ ଓଲଫ୍‌ର ବାପାଙ୍କୁ କହିଲେ–ତମେ ଆମକୁ ଯେପରି ଆଦର ଯତ୍ନ କଲ, ସେଥ‌ିପାଇଁ ଧନ୍ୟବାଦ ଦେଉଛି ।

 

କାହ୍ନୁ କହିଲା–ତମ ପିଲାଙ୍କ ଶୀତଦିନିଆ ଖେଳକଥା ମୁଁ କେବେହେଲେ ଭୁଲିପାରିବି ନାହିଁ ।

 

ଓଲଫ୍‌ର ବାପା ମଧ୍ୟ କାହ୍ନୁ ଓ ଜହ୍ନମାମୁଁଙ୍କୁ ଧନ୍ୟବାଦ ଜଣାଇଲେ ।

 

କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରେ ଚଢ଼ି ନିଶୀଥ ସୂର୍ଯ୍ୟର ଦେଶରୁ ନିଜ ଦେଶକୁ ଫେରି ଆସିଲେ ।

Image